ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୪/୦୬: ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥିନୀ ଭାବେ ଆଜି ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶା ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଏବଂ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସଂସଦ ଭବନରେ ଉପସ୍ଥିତ ଥିଲେ।

ଓଡ଼ିଶାର ସାନ୍ତାଳ ଜନଜାତି ସମ୍ପ୍ରଦାୟର ଦ୍ରୌପଦୀ ମୁର୍ମୁ ବିରୋଧୀ ‌ଦଳଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଥିବା ଇଲେକ୍ଟୋରାଲ୍‌ କଲେଜ୍‌ରେ ସମୁଦାୟ ୧୦,୮୬,୪୩୧ ଖଣ୍ଡ ଭୋଟ୍‌ରୁ ‘ଏନ୍‌ଡିଏ’ର ରହିଛି ୫,୩୨,୩୫୧ ଖଣ୍ଡ ଭୋଟ୍‌। ବିଜେଡିର ୩୧,୬୮୬ ଖଣ୍ଡ ଭୋଟ୍‌ ଥିବା ବେଳେ ‘ୱାଇଏସ୍‌ଆର୍‌ କଂଗ୍ରେସର ୪୫,୫୫୦ ଖଣ୍ଡ ଭୋଟ୍‌ ଏବଂ ‘ଏଆଇଏଡିଏମ୍‌କେ’ର ୧୪,୯୪୦ ଖଣ୍ଡ ଭୋଟ୍‌ ରହିଛି।

ସୂଚନାଯୋଗ୍ୟ ଯେ ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବ ଏବଂ ଜୁଲାଇ ୨୧ ତାରିଖ ଦିନ ଭୋଟ୍‌ ଗଣନା କରାଯିବ। ଜୁଲାଇ ୨୫ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।