ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ବିରୋଧୀ ଦଳ

ନୂଆଦିଲ୍ଲୀ,୨୧/୦୬: ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ବିରୋଧୀ ଦଳ । ଏନଡିଏକୁ ଟକ୍କର ଦେବାକୁ ବିରୋଧୀ ଦଳମାନେ ଆଜି ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି । ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଆଉ ଏଥିପାଇଁ ଆଜି ବିରୋଧୀ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଯଶୱନ୍ତ ସିହ୍ନା ମଙ୍ଗଳବାର ଟୁଇଟ୍ କରି କହିଥିଲେ ଯେ, ଟିଏମସି ତାଙ୍କୁ ସମ୍ମାନ ଓ ପ୍ରତିଷ୍ଠା ଦେଇଛି , ସେଥିପାଇଁ ସେ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଥିଲେ । ତା ସହିତ ଏକ ବଡ ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପାଇଁ ପାର୍ଟିରୁ ବାହାରି ବିରୋଧୀଙ୍କ ଏକତା ପାଇଁ କାମ କରିବାକୁ ସେ ଟୁଇଟରେ କହିଥିଲେ । ଆଉ ଏହାପରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା ବଢିବାରେ ଲାଗିଥିଲା ।

ସୂଚନାଯୋଗ୍ୟ ଯେ ଆଜି ଏନସିପି ନେତା ଶରଦ ପାୱାରଙ୍କ ଘରେ ବିରୋଧୀ ଦଳଙ୍କ ବୈଠକ ବସିଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡି. ରାଜା, ପ୍ରଫୁଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଟିଏମସି ଯଶୱନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ରଖିଥିଲା । ଯାହାକୁ ୧୯ ବିରୋଧୀ ଦଳ ସହମତି ପ୍ରକାଶ କରିଥିଲେ ।