ଜୁନରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୭/୦୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡ଼ିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପ୍ରତ୍ୟେକ ବର୍ଷର ଜୁନ୍‌ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡ଼ି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ। ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି। ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।