ଆସନ୍ତା ୨୪ ଘଣ୍ଟାରେ ଓଡିଶା ସ୍ପର୍ଶ କରିବ ମୌସୁମୀ

ଭୁବନେଶ୍ବର,୧୬/୦୬ : ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରାକ୍‌-ମୌସୁମୀ ବର୍ଷା। ପ୍ରାକ୍‌-ମୌସୁମୀ ସକ୍ରିୟ ରହିଥିବାରୁ ରାତି ସୁଦ୍ଧା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ ରହିଥିବାରୁ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି। ସେ ଆହୁରି ଏହା ମଧ୍ୟ କହିଛନ୍ତି ଯେ ଏବେ ଓଡ଼ିଶାରେ ପ୍ରାକ୍‌-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ବାୟୁ ସକ୍ରିୟ ଲାଗି ପାଗ ଅନୁକୂଳ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ସ୍ପର୍ଶ କରିବ। ପରବର୍ତୀ ସମୟରେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକୁ ଛୁଇଁବ।

ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ ଓ ଅନ୍ୟ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଆଦି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବ। ଜୁନ୍‌ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ମୌସୁମୀ ସକ୍ରିୟ ହେବାକୁ ଥିବାରୁ ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଆସନ୍ତା ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ଗତ ୨୪ ଘଣ୍ଟା ହେଲା କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।