ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ

ଭୁବନେଶ୍ୱର,୧୩/୦୬: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୀର୍ଘ ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ହେବାକୁ ଯାଉଛି ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ । ଆଉ ବଡଦାଣ୍ଡରେ ବଡଠାକୁରଙ୍କ ଗଜାନନ ବେଶକୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।ଆସନ୍ତାକାଲି ରାତ୍ରି ସାଢେ ୩ଟାରୁ ମହାପ୍ରଭୁଙ୍କର ମଙ୍ଗଳାର୍ପଣ ନୀତି ସମାପନ ହେବ । ଏହାପରେ ପ୍ରାତଃ ୪ଟାରୁ ୬ଟା ଭିତରେ ପହଣ୍ଡି ନୀତି ଅନୁଷ୍ଠିତ ହେବ । ପହଣ୍ଡି ଶେଷ ହେବା ପରେ ସକାଳ ସାଢେ ୬ଟାରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି କରାଯିବ । ଏହାପରେ ସାଢେ ୮ଟାରେ ବେଶଶେଷ ଓ ରୋଷହୋମ ନୀତି ସମାପନ ହେବ । ସକାଳ ୯ଟାରେ ସୂର୍ଯ୍ୟପୂଜା ହୋଇ,ସାଢେ ୯ଟାରୁ ସାଢେ ୧୧ଟା ଭିତରେ ଜଳବିଜେ ନୀତି ସମାପନ ହେବ । ଏହାପରେ ପରେ ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ସମୟ ଭିତରେ ଛେରାପହଁରା ନୀତି ସମାପନ ହେବ । ଛେରା ପହଁରା ନୀତି ଶେଷ ହେବା ପରେ ୧୨ଟା ୪୫ରୁ ସାଢେ ୨ଟା ଭିତରେ ମହାପ୍ରଭୁଙ୍କର ହାତୀବେଶ ହେବା ନେଇ ସୂଚନା ରହିଛି ।