ଆସନ୍ତା ୧୩ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୮/୬: ଆସନ୍ତା ୧୩ରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବାଚସ୍ପତି ପଦ ପାଇଁ ଆସନ୍ତା ୧୦ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ପ୍ରାର୍ଥୀପତ୍ର ଦାଖଲ ପରେ ୧୩ ତାରିଖ ଦିନ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ତେବେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ପଦ ଶାସକ ଦଳ ସପକ୍ଷରେ ଯାଉଥିବାରୁ ବିରୋଧୀ ଏହି ପଦ ପାଇଁ ପ୍ରାର୍ଥୀ ଦେଇନପାରନ୍ତି । ଶାସକ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏବେ ବି ସସପେନ୍ସରେ ରହିଛି । ତେବେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ବିଜେଡି ବାଚସ୍ପତି ପ୍ରାର୍ଥୀ କରିପାରେ ବୋଲି ଏକପ୍ରକାର ସ୍ଥିର ହୋଇଥିବା ଚର୍ଚ୍ଚା ହେଉଛି । ଯେହେତୁ ବିକ୍ରମ ଆରୁଖଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି ତେଣୁ ଏହି ସ୍ଥାନରେ ତାଙ୍କୁ ସୁଯୋଗ ମିଳିପାରେ । ଚଳିତଥର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ସହ ବାଚସ୍ପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ସୂର୍ୟ୍ୟନାରାୟଣ ପାତ୍ର । ଶାରୀରିକ ଅସୁସ୍ଥତା କାରଣରୁ ସୂର୍ୟ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ ।