ଭାରତୀୟ ମୁଦ୍ରାରେ ଶ୍ରୀଲଙ୍କାରେ ପେଟ୍ରୋଲ ଲିଟରକୁ ୯୦ ଟଙ୍କା

ନୂଆଦିଲ୍ଲୀ, ୨୫/୫: ସାଂଘାତିକ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ୍ ଦର ସବୁ ରେକର୍ଡ ଭାଙ୍ଗି ଦେଇଛି । ଶ୍ରୀଲଙ୍କାରେ ପେଟ୍ରୋଲ ଦର ୨୪ ଦଶମିକ ୩ ପ୍ରତିଶତ ଏବଂ ଡିଜେଲ୍ ଦର ୩୮ ଦଶମିକ ୪ ପ୍ରତିଶତ ବୃଦ୍ଧି ପାଇଛି । ଯାହାର ପ୍ରଭାବରେ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ଦର ୪୦୦ ଟଙ୍କା ଅତିକ୍ରମ କରିଛି । ମଙ୍ଗଳବାର ଶ୍ରୀଲଙ୍କାରେ ପେଟ୍ରୋଲ ଦର ଲିଟର୍ ପିଛା ୮୨ ଟଙ୍କା ଏବଂ ଡିଜେଲ୍ ଦର ଲିଟର୍ ପିଛା ୧୧୧ ଟଙ୍କା ବୃଦ୍ଧି ପାଇଛି । ଯାହା ପରେ ଶ୍ରୀଲଙ୍କା ମୁଦ୍ରା ଅନୁସାରେ ପେଟ୍ରୋଲ ଦର ଲିଟର୍ ପିଛା ୪୨୦ ଟଙ୍କା ଏବଂ ଡିଜେଲ୍ ଦର ଲିଟର୍ ପିଛା ୪୦୦ ଟଙ୍କାରେ ବିକ୍ରି ହେଉଛି । ତେବେ ଭାରତୀୟ ୧ ଟଙ୍କାର ମୂଲ୍ୟ ଶ୍ରୀଲଙ୍କାର ୪ଟଙ୍କା ୬୪ ପଇସା ସହ ସମାନ । ଅର୍ଥାତ୍ ଭାରତୀୟ ମୁଦ୍ରାରେ ଶ୍ରୀଲଙ୍କାରେ ପେଟ୍ରୋଲ ଦର ଲିଟର୍ ପିଛା ୯୦ ଟଙ୍କା ୫୭ ପଇସା ଏବଂ ଡିଜେଲ୍ ଦର ଲିଟର୍ ପିଛା ୮୬ ଟଙ୍କା ୧୫ ପଇସା ରହିଛି ।