ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ, ୨୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୫/୫: ଆମେରିକା ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୧୮ ଜଣ ସ୍କୁଲ ପିଲା । ସେମାନଙ୍କର ବୟସ ୭ରୁ ୧୦ ବର୍ଷ ଭିତରେ ହୋଇଥିବା ସୂଚନା ମିଳିଛି । ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ସ୍କୁଲ ଭିତରେ ପଶି ଏଭଳି ନରସଂହାର କରିଥିବା ଜଣା ପଡିଛି । ପୋଲିସର ପାଲଟା ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ଆକ୍ରମଣକାରୀ ନାଁ ହେଉଛି ସାଲଭେଡର ରାମୋସ୍ । ସେ ଟେକ୍ସାସର ବାସିନ୍ଦା । ଟେକ୍ସାସର ରବ୍ ଏଲିମେଣ୍ଟାରୀ ସ୍କୁଲରେ ବେଶ କିଛି ସମୟ ଆତଙ୍କ ଖେଳାଇବା ସହ ନରସଂହରା ରଚିଥିଲା ଦୁର୍ବୃତ୍ତ । ସ୍କୁଲରେ ଗୁଳିମାଡ଼ କରିବା ପୂର୍ବରୁ ଘରେ ନିଜ ଜେଜେମାଆଙ୍କୁ ଗୁଳିମାରି ହତ୍ୟା କରିଥିଲା ।

ହାତରେ ବନ୍ଧୁକ ଓ ରାଇଫଲ୍ ଧରି ସ୍କୁଲରେ ଧସେଇ ପଶିଥିଲା ଆକ୍ରମଣକାରୀ । ତାଦେହ ସାରା ବିସ୍ଫୋରକ ଥିଲା । ଗୁଳିମାଡ଼ର ପ୍ରକୃତ କାରଣ ଜଣା ପଡିନି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଟେକ୍ସାସ ଗଭର୍ଣ୍ଣର ।