ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୨୪/୫: ଦିନରେ ଟାଇଁ ଟାଇଁ ଖରା ଆଉ ରାତିରେ କାଳବୈଶାଖୀ ଜନିତ ବର୍ଷା ହେଉଛି । ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗତକାଲି ରାତିରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ହୋଇଛି । ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି । ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ଝଡ଼ ବର୍ଷା ହୋଇପାରେ । କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବା ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷିପାରେ । ଗତ ୩୬ ଘଣ୍ଟା ଭିତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ବଲାଙ୍ଗିରରେ ସର୍ବାଧିକ ୬୪ ମିମି ବର୍ଷା ରେକର୍ଡ କରାଯାଇଛି । ଫୁଲବାଣୀରେ ୨୫ ମିମି, ନୟାଗଡରେ ୧୩ ମିମି ଓ ପୁରୀରେ ୧୫ ମିମି ବର୍ଷା ରେକର୍ଡ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।