ମଙ୍କିପକ୍ସ କୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ବର,୨୧/୫: ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜାରି ଜାରି କରିଛନ୍ତି। ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଚିହ୍ନଟ ହୋଇ ନାହିଁ। ମଙ୍କିପକ୍ସ ଭଳି କିଛି ଲକ୍ଷଣ ଥିଲେ ଅର୍ଥାତ ଜ୍ୱର ହେବା, ଦେହ ମୁଣ୍ଡ ବଥା ହେବା ଓ ଦେହସାରା ଫଳି ଯିବା, ଘା’ ହେବା ତାହା ହେଲେ ପୁନେକୁ ପରୀକ୍ଷା ଲାଗି ନମୂନା ପଠାଯିବ। ତାପରେ ତାହା ଜଣାପଡ଼ିବ ମଙ୍କି ପକ୍ସ ହୋଇଛି ନା ନାହିଁ।

ସୂଚନାଯୋଗ୍ୟ, ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି। ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି। ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ଜଣେ ଆମେରିକୀୟ ବାସିନ୍ଦା, ଯିଏ କିଛି ଦିନ ପୂର୍ବରୁ ନାଇଜେରିଆରୁ ଫେରିଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’) ଅନୁଯାୟୀ ‘ମଙ୍କିପକ୍ସ’ ଏକ ବିରଳ ରୋଗ, ଯାହା ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ଏହି ଭୂତାଣୁ ପଶୁମାନଙ୍କ ଶରୀରରେ ବାସ କରନ୍ତି। କିନ୍ତୁ ଏହା ବେଳେବେଳେ ପଶୁମାନଙ୍କଠାରୁ ମଣିଷଙ୍କ ଶରୀରକୁ ଆସିଯାଇଥାଏ। ଏହା ପୂର୍ବରୁ ୨୦୦୩ରେ ଆମେରିକାରେ ‘ମଙ୍କିପକ୍ସ’ ଦ୍ୱାରା ୪୭ଜଣ ଆକ୍ରାନ୍ତ ହୋଇଥିଲେ।