ମଙ୍କିପକ୍ସ ନେଇ ବନ୍ଦର ଓ ବିମାନ ବନ୍ଦରରେ ଆଲର୍ଟ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ,୨୧/୫: ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପିବା ପରେ ବନ୍ଦର ଓ ବିମାନ ବନ୍ଦରଗୁଡିକୁ ଆଲର୍ଟ କରିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ଏପରିକି ତାଙ୍କୁ ସଙ୍ଗରୋଧରେ ରଖି ନମୂନା ସଂଗ୍ରହ କରିବା ସହ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଇବା ପାଇଁ କୁହାଯାଇଛି ।

ସେହିପରି ଆଫ୍ରିକୀୟ ଦେଶଗୁଡିକରେ ଦେଖା ଦେଇଥିବା ଏହି ନୂଆ ପ୍ରକାର ଭୂତାଣୁର ଲକ୍ଷଣ ଓ ବ୍ୟବହାର ଉପରେ ନଜର ରଖିବାକୁ ଆଇସିଏମଆରକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତ୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ୧୩ରୁ ଅଧିକ ମାମଲା କାନାଡାରୁ ଚିହ୍ନଟ ହୋଇଛି । ବ୍ରିଟେନରେ ମଙ୍କିପକ୍ସର ପ୍ରଥମ ମାମଲା ମେ’ ୭ ତାରିଖରେ ଚିହ୍ନଟ ହୋଇଥିଲା । ମଙ୍କିପକ୍ସରେ ଆକ୍ରାନ୍ତ ଯୁବକ ଜଣଙ୍କ ନାଇଜେରିଆରୁ ଫେରିଥିଲେ ।