ତାଲଚେର ମେଡିକାଲ କଲେଜର ପରିଚାଳନା କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୨/୫: ଦୀର୍ଘଦିନରୁ ଚାଲିଥିବା ବିବାଦର ଘଟିଲା ଅନ୍ତ । ତାଳଚେର ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ସହ ମେଡ଼ିକାଲ ଶିକ୍ଷା ପାଇଁ ଅନୁଗୁଳରେ ୨୦୧୫ରେ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଭିତ୍ତିଭୂମି ଦିଆଯାଇଥିଲା। ଅନ୍ୟପଟେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜରେ ନୂତନ କୋଠା ବି ଲୋକାର୍ପିତ ହୋଇସାରିଛି। ଏହାକୁ ଚଳାଇବା ପାଇଁ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ତାଳମେଳ ଅଭାବରୁ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଥିଲେ। ଏବେ କିନ୍ତୁ ମେଡ଼ିକାଲ କଲେଜ ପରିଚାଳନା ନେଇ ଉଭୟ ପକ୍ଷ ଭିତରେ ଏକପ୍ରକାର ସହମତି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏଥିନେଇ ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ହେଲେ ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ଏମସିଏଲ ବହନ କରିବାକୁ ଏଥିରେ କୁହାଯାଇଛି। ଏଥିନେଇ ଏକ ଖର୍ଚ୍ଚ ଅଟକଳ ମଧ୍ୟ ପ୍ରଦାନ କରାଯାଇଛି। ଏମସିଏଲ ଏହାକୁ ଗ୍ରହଣ କଲେ ମେଡ଼ିକାଲ କଲେଜ ପରିଚାଳନା ରାଜ୍ୟ ସରକାର କରିବାକୁ ରାଜି ଅଛନ୍ତି। ଏହି ମେଡ଼ିକାଲ କଲେଜରେ ୧୦୦ଟି ଏମବିବିଏସ୍ ଆସନରେ ପାଠପଢା ହେବ। ଏହାସହିତ ୫ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିବ।