ଆରପାରିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଣ୍ଡିତ ସୁଖରାମ ଶର୍ମା

ଦିଲ୍ଲୀ,୧୧/୫: ପରଲୋକରେ ହିମାଚଳ ପ୍ରଦେଶ ରାଜନୀତିର ଚାଣକ୍ୟ ଅର୍ଥାତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମ ଶର୍ମା । ତାଙ୍କର ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ ଅନୀଲ ଶର୍ମା ସୂଚନା ଦେଇଛନ୍ତି। ସୁଖରାମଙ୍କ ବ୍ରେନ୍‌ ଷ୍ଟ୍ରୋକ୍‌ର ଚିକିତ୍ସା ହେତୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେ’ ୭ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟର୍‌ରେ ଥିଲେ। ସୂଚନାନୁଯାୟୀ , ଆଜି ପଣ୍ଡିତ ସୁଖରାମଙ୍କ ପାର୍ଥୀବ ଶରୀରକୁ ଦିଲ୍ଲୀରୁ ମଣ୍ଡି ନିଆଯିବ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଆସନ୍ତାକାଲି ସକାଳ ୧୧ଟାରେ ପଣ୍ଡିତ ସୁଖରାମଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ସହରର ଐତିହାସିକ ସେରୀ ମଞ୍ଚରେ ରଖାଯିବ। ଏହାପରେ ହନୁମାନଘାଟ ସ୍ଥିତ ଶ୍ମଶାନରେ ପୂରା ରାଜକୀୟ ସମ୍ମାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ।