ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇଲା ବାତ୍ୟା ଅସାନି

ଭୁବନେଶ୍ୱର,୧୦/୫ : ବାତ୍ୟା ଅସାନି, ବଡ ଆକାରରେ ପ୍ରଭାବ ତିଆରି କରି ସମୁଦ୍ର ଭିତରେ ଗତି କରୁଛି । ଏହାର ଆକାର ଦେଖିଲେ ଏହା ଭୟଙ୍କର ମନେହେଉଛି, କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହି ବାତ୍ୟା ଆଉ ଅଧିକ ଘନୀଭୂତ ହେଉନାହିଁ ବରଂ ଦୁର୍ବଳ ହେବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ବାତ୍ୟା ଅସାନି ଆନ୍ଧ୍ରର କାକିନାଡା-ବିଶାଖାପଟନମ ଉପକୂଳ ଆଡକୁ ମୁହାଁଇବ । ଏହାପରେ ଉପକୂଳରେ ଘଷି ହୋଇ ପୁଣି ଉତ୍ତର-ପୂର୍ବ ଦିଗରେ ରି-କର୍ଭ କରିବ । ବର୍ତ୍ତମାନ ବାତ୍ୟା ଅସାନି ସମୁଦ୍ର ଭିିତରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ଅବସ୍ଥାରେ ରହିଛି ଏବଂ ପବନର ଗତି ପ୍ରାୟ ୮୫ରୁ ୯୫ କିଲୋମିଟର ପ୍ରତି ଘଣ୍ଟା ରହିଛି । କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହା ଆଉ ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ୧୧ ତାରିଖ ଅର୍ଥାତ ବୁଧବାର ସକାଳ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ କେବଳ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ଅର୍ଥାତ ଏହାର ବଳ କମିଯିବ ।
ତେବେ ପୂର୍ବାନୁମାନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଓଡିଶାରେ ଆଉ ବିଶେଷ ପ୍ରଭାବ ପଡିବାର ସମ୍ଭାବନା ନାହିଁ । ଓଡିଶା ଉପକୂଳକୁ ଆସିବାବେଳକୁ ଅସାନି, ବାତ୍ୟାରୁ ଅବପାତରେ ପରିଣତ ହୋଇଯାଇଥିବ, କେବଳ ବର୍ଷା ହେଉଥିବ । ତେବେ ସମୁଦ୍ର ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।