ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର,୯/୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ଜୋର୍ ଧରିଛି । ଏହାରି ମଧ୍ୟରେ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଳକା ମହାନ୍ତିଙ୍କ ନାଆଁ ଘୋଷଣା କରିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।

ଗତ ଡିସେମ୍ବର ୩୦ରେ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ତେବେ, ବିଜେଡିରୁ ଦିବଂଗତ ବିଧାୟକଙ୍କ ପତ୍ନୀ ଅଳକା ମହାନ୍ତି ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କ ନାମ ଚର୍ଚ୍ଚାରେ ରହିଥିଲା।

ସୂଚନାଯୋଗ୍ୟ ଯେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ୧୧ ମେ’ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇପାରିବ । ୧୨ ମେ’ରେ ପ୍ରାର୍ଥୀପତ୍ର ଯାଂଚ ହେବାକୁ ଥିବା ବେଳେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମେ ୩୧ରେ ଭୋଟ ଗ୍ରହଣ କରାଯିବ । ଜୁନ ୩ରେ ଫଳ ପ୍ରକାଶ ପାଇବ।