ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ଭୁବନେଶ୍ୱର,୨୯/୪: ରାଜ୍ୟରେ ଏବେ କୋଭିଡ ସଂକ୍ରମଣ କମିବା ପରେ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପିନେ ଅନୁମତି ଦିଆଯାଇଥିଲା । ସେହିପରି ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଭକ୍ତଙ୍କୁ ସୁବିଧାରେ ଦର୍ଶନ ସୁଯୋଗ ଦେବା ପାଇଁ ପଶ୍ଚିମଦ୍ୱାର ନିକଟରେ ସ୍ଥାୟୀ ସେଡ୍ ନିର୍ମାଣ ଆରମ୍ଭ ହୋଇଛି । ଦକ୍ଷିଣଦ୍ୱାରରୁ ପଶ୍ଚିମଦ୍ୱାରକୁ ଏହି ସେଡ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଚାହୁଁଥିବା ଭକ୍ତଙ୍କୁ ଦକ୍ଷିଣ ଦ୍ୱାରରୁ ନିର୍ମାଣାଧୀନ ଏହି ସେଡ୍ ଦେଇ ଛଡାଯାଉଛି । ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାରରୁ ଭକ୍ତଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଛାଡିବା ପାଇଁ ନିଷ୍ପତ୍ତି ହୋଇଥିଲା ।