ଟ୍ବିଟ୍‌ରକୁ ୪୪ ବିଲିୟନ ଡଲାରରେ କିଣିଲେ ଏଲନ ମସ୍କ

ନୂଆଦିଲ୍ଲୀ,୨୫/୪: ମହାକାଶରୁ ପୃଥିବୀ ପୃଷ୍ଟ ପରେ ଟେକ୍ନୋଲୋଜି ଦୁନିଆରେ ପାଦ ଥାପିଛନ୍ତି ଏଲନ ମସ୍କ । ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍‌ରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବ୍ୟାପକ ମୁଲଚାଲ ପରେ ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବକୁ ଟ୍ବିଟ୍‌ର ଗ୍ରହଣ କରିଛି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଳାଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । ବୋର୍ଡର ଅନୁମୋଦନ ପାଇବା ପରେ ମସ୍କ ଆନୁଷ୍ଠାନିକ ଭାବରେ ଟ୍ୱିଟରର ମାଲିକ ହୋଇଛନ୍ତି । ତେବେ ମାଲିକାନା ହାତକୁ ଯିବା ପୂର୍ବରୁ ତାଙ୍କୁ ଖୁବ କସରତ ମଧ୍ୟ କରିବାକୁ ପଡ଼ିଥିଲା ।

ଡିଲ ଫାଇନାଲ ହେବା ପରେ ମସ୍କ ଏକ ଲିଖିତ ବିବୃତ୍ତିରେ କହିଛନ୍ତି, “ମୁଁ ସର୍ବଦା ସ୍ୱାଧିନ ଭାବେ ଅଭିବ୍ୟକ୍ତି ଦେବାକୁ ସମର୍ଥନ କରେ ଆଉ ମୁଁ ଟୁଇଟରରେ ବିନିଯୋଗ କରିବାର କାରଣ ହେଉଛି ଏହି ପ୍ଲାଟଫର୍ମଟିରେ ସମଗ୍ର ବିଶ୍ୱରେ ସ୍ୱାଧିନ ଭାବେ ଅଭିବ୍ୟକ୍ତି ଦେବା ପାଇଁ ସାମର୍ଥ୍ୟ ରହିଛି । ମୋର ବିଶ୍ୱାସ ଯେ, କୌଣସି ଗଣତାନ୍ତ୍ରିକ ସମାଜ ପାଇଁ ସ୍ୱାଧିନ ଅଭିବ୍ୟକ୍ତି ରଖିବାର ଏକ ପ୍ଲାଟଫର୍ମ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟ୍ୱିଟରରେ କୌଣସି ଉପଭୋକ୍ତାଙ୍କୁ ବ୍ଲୁ ଟିକ୍ ମିଳିବା କଷ୍ଟକର । କିନ୍ତୁ ଏହି ସୁବିଧା ସମସ୍ତ ଉପଭୋକ୍ତା ପାଇବା ଅତ୍ୟନ୍ତ ରୋମାଞ୍ଚକର ବିଷୟ । ଏଲନ୍ ମସ୍କଙ୍କ କହିବାନୁସାରେ, ବର୍ତ୍ତମାନ ପ୍ରତ୍ୟେକ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍ ଦିଆଯିବ । ଟେସଲାର ସହ-ପ୍ରତିଷ୍ଠାତା ତଥା ବର୍ତ୍ତମାନର ଟ୍ୱିଟରର ମାଲିକ ମସ୍କ ଏହି ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ଏଡିଟ୍ ବଟନ ଉପଲବ୍ଧ କରିବେ ।