ଏହି ୩ ରାଜ୍ୟରେ କୋହଳ ହେଲା ମାସ୍କ ନିୟମ

ନୂଆଦିଲ୍ଲୀ,୪/୪: ଦେଶରେ ଏବେ କରୋନା ସଂକ୍ରମଣ କମୁଛି । ସଂକ୍ରମଣ କମୁଥିବାରୁ ଦେଶର କିଛି ରାଜ୍ୟରେ ମାସ୍କ ପିନ୍ଧିବା ନିୟମ କୋହଳ କରାଯାଇଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ତେଲେଙ୍ଗାନା ଆଦି ରାଜ୍ୟ ଗୁଡ଼ିକରେ ମାସ୍କ ନିୟମକୁ କୋହଳ କରି ଦିଆଯାଇଛି । ଏଣିକି ଏହି ୩ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ମଧ୍ୟ ଜରିମାନା ଦେବାକୁ ପଡିବ ନାହିଁ । ତେବେ ଓଡ଼ିଶାରେ ମାସ୍କ ପିନ୍ଧାକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସଂକ୍ରମଣ ହ୍ରାସ ପାଇଥିବାରୁ ଲୋକେ ଆଉ ମାସ୍କ ପିନ୍ଧୁନଥିବା ଦେଖାଯାଉଛି । ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଯାଇ ନାହିଁ । ଏବେବି କିଛି ରାଜ୍ୟରେ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ତାର ରୂପ ବଦଳାଇ ନୂଆ ପ୍ରକାରେ ଆସୁଥିବାରୁ ମୁହଁରୁ ମାସ୍କ ଓହ୍ଲାଇବା ଉଚିତ ନୁହେଁ ବୋଲି ପରାମର୍ଶ ଦିଆଯାଇଛି । ଯଦିଓ କରୋନା ସଂକ୍ରମଣ ପୂର୍ବ ତୁଳନାରେ ବହୁତ କମ୍ ରହିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛି । ତେଣୁ ଲୋକଙ୍କୁ ଅଯଥା ଗହଳି ନକରିବା ଏବଂ ମାସ୍କ ପିନ୍ଧା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।