ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ

ଭୁବନେଶ୍ୱର,୨୫/୩: ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିଛନ୍ତି। ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ ସେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥଲେ। ନିଜର ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆମ ପାଇଁ ମୂଲ୍ୟବାନ୍। ୧୫ରୁ ଅଧିକ ବୃହତ ଯୋଜନା କାର୍ଯ୍ୟକାରୀ କରି ସ୍ୱାସ୍ଥ୍ୟସେବାରେ ଓଡିଶା ଅଦ୍ଭୁତପୂର୍ବ ଅଗ୍ରଗତି କରିଛି ଵୋଲି ସେ କହିଛନ୍ତି ।

୨୦୨୦-୨୧ ବର୍ଷରେ ପ୍ରାୟ ୫୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଥିବାବେଳେ ୨୦୨୧-୨୨ ବର୍ଷରେ ଡ଼ିସେମ୍ବର ୨୦୨୧ ସୁଦ୍ଧା ୫୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଛି। ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ୫୫୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩,୬୫୩ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି ।

୨୦୨୧-୨୨ ବର୍ଷ ଅଧିକ ଖଣି ରାଜସ୍ୱ ସଂଗ୍ରହର ବର୍ଷ ଅଟେ। ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୨୦-୨୧ ପର୍ଯ୍ୟନ୍ତ ମୋଟ ଖଣି ରାଜସ୍ୱ ସଂଗ୍ରହ ୪୬,୩୪୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷର ସଂଗ୍ରହ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୩୧,୦୪୯ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଏକ ସର୍ବକାଳୀନ ରେକର୍ଡ ଅଟେ। ଚଳିତ ଆର୍ଥିକ ବର୍ଷ ପାଇଁ ଲଘୁ ଖଣିଜ ପଦାର୍ଥରୁ ଧାର୍ଯ୍ୟ ବାର୍ଷିକ ୧,୩୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟରୁ ୪୪୮.୩୬ କୋଟି ଟଙ୍କା ଆଦାୟ କରାଯାଇଛି। ସେହିଭଳି ଏହି ଅବଧି ମଧ୍ୟରେ ୧,୭୬୫ କୋଟି ଟଙ୍କାର ମୋଟର ଯାନ ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ୧,୧୧୭ କୋଟି ଟଙ୍କା ଆଦାୟ କରାଯାଇଛି।