୨୭ ତାରିଖ ପରେ ରାଜ୍ୟରେ ବଢ଼ିବ ଖରାର ପ୍ରକୋପ

ଭୁବନେଶ୍ୱର,୨୪/୩:ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ,ଆସନ୍ତା ୨୭ ତାରିଖ ପରେ ରାଜ୍ୟରେ ବଢ଼ିବ ଖରାର ପ୍ରକୋପ।ତେବେ କେତେକ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ତେବେ ରାଜ୍ୟରେ ଆଜି ପାଣିପାଗ ମଧ୍ୟମ ଧରଣର ରହିବ ।

ସୂଚନାନୁଯାୟୀ , ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ଉତ୍ତାପ । ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ ବଢ଼ିବ ପାରଦ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୮ ତାରିଖ ପରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସଙ୍କ ପୂର୍ବାନୁମାନ ଅନୁଯାୟୀ, ବୁଧବାର ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ୨୭ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୨୭ ତାରିଖରୁ ତାତି ଫେରିବା ସହ ଅସହ୍ୟ ଗରମରେ ଆଉଟୁପାଉଟୁ ହେବ ଓଡ଼ିଶା ।