ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୩/୩: ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୬ ଜଣ ଅଧିକାରୀଙ୍କ ମଧ୍ୟରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡା , ବ୍ରହ୍ମପୁର ଗ୍ରାମ୍ୟ ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଡେପୁଟୀ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ ଭୂୟାଁ, ପ୍ରଶାନ୍ତ ମିଶ୍ର, ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା, ନୂଆଗଡ଼ ବିଇଓ ବ୍ରଜ ନାୟକ ବିଦା ହୋଇଛନ୍ତି ।