ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ୱର,୧୮/୩: ଆଜି ରାଉରକେଲା ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଗସ୍ତ କରିଛନ୍ତି । ଓଡ଼ିଶାକୁ ହକିର ହବ୍ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିୟମିତ ପ୍ରୟାସରେ ଲାଗିଥିବା ୫-ଟି ସଚିବ ଆଜି ରାଉରକେଲା ଷ୍ଟାଡିୟମ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ତେବେ ହକି ବିଶ୍ୱକପ ପାଇଁ ଷ୍ଟାଡିୟମ ବୁଲି ଦେଖିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ୫-ଟି ସଚିବ ଏବଂ ମୁଖ୍ୟ ଶାସନ ସଚିବ । ଆସନ୍ତା ବର୍ଷ ୨୦୨୩ ଜାନୁଆରୀରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ପୁରୁଷ ହକି ବିଶ୍ୱକପ ମ୍ୟାଚ । କଳିଙ୍ଗ ଷ୍ଟାଡିୟମ ପରେ ଏବେ ରାଉରକେଲାବାସୀ ମଧ୍ୟ ବିଶ୍ୱକପ ହକିର ଦମଦାର ମୁକାବିଲାକୁ ଦେଖିବାକୁ ସୁଯୋଗ ପାଇବେ ।ତେବେ ଆଜିର ଗସ୍ତରେ ୫-ଟି ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଡ୍କୋ ଏମ.ଡି ଭୁପିନ୍ଦର ସିଂ ପୁନିଆ ମଧ୍ୟ ଗସ୍ତ କରିଥିଲେ ।