ଓଡିଶାର ସମାଜସେବୀ ଶୃତି ମହାପାତ୍ରଙ୍କୁ ନାରୀଶକ୍ତି ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮/୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତ୍ୟକ ବର୍ଷ ଏହି ଦିବସ ମାର୍ଚ୍ଚ ମାସ ୮ ତାରିଖରେ ପାଳନ କରାଯାଇଥାଏ । ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବାକୁ ଏହି ଦିବସ ପାଳନ କରାଯାଏ । ତେବେ ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ୨୦୨୦-୨୧ ବର୍ଷ ପାଇଁ ପ୍ରଦାନ କରାଯାଇଛି ନାରୀ ଶକ୍ତି ସମ୍ମାନ । ଦେଶର ବିଭିନ୍ନ ପ୍ରାନ୍ତର ମୋଟ ୨୯ ଜଣ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ମହିଳାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ସମ୍ମାନିତ କରାଯାଇଛି । ତେବେ ଏହି ୨୯ ଜଣ ମହିଳା ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ନାରୀଶକ୍ତିର ଅନନ୍ୟ ଦିଗଦର୍ଶନ ଓଡିଶାର ସମାଜସେବୀ ଶୃତି ମହାପାତ୍ର ।

ତେବେ ଏହି ପୁରସ୍କାର ପାଇଁ ସମାଜସେବା, ସାହିତ୍ୟ, ସେବା, ଶିକ୍ଷା, କୃଷି ଉଦ୍ୟୋଗ, ହସ୍ତଶିଳ୍ପ, ପରିବେଶ ସୁରକ୍ଷା କ୍ଷେତ୍ରକୁ ବିଶେଷ ଅବଦାନ ଦେଇଥିବା ମହିଳା ମାନଙ୍କୁ ଚୟନ କରାଯାଇଥିଲା । ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ସମ୍ମାନ ସମାଜରେ ନାରୀଶକ୍ତିଙ୍କୁ ସମ୍ମାନ ପ୍ରଦାନ କରିବା ସହ ସେମାନଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।