ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି

ପୁରୀ: ରାଜ୍ୟରେ ଏବେ ଦିନକୁ ଦିନକୁ କ ରୋନା ସଂକ୍ରମଣ ହ୍ରାସ ହୋଇଛି । କିନ୍ତୁ ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲାଗିଛି । ଆସନ୍ତା ୬ତାରିଖ ଅପରାହ୍ନ ୪ଟାରୁ ୭ ତାରିଖ ସକାଳ ୯ଘଟିକା ଯାଏ ନୀତିକାନ୍ତି ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଚନ୍ଦ୍ରଭାଗା ବୁଡ ପକାଇବା ନିମନ୍ତେ ଭିଡ ହେବା ସହ ସାମାଜିକ ଦୂରତା ରକ୍ଷା ନୀୟମ ଉଲଂଘନ ଏବଂ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି କଟକଣା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ନୀତିକାନ୍ତି ସହ ଜଡିତ ସେବାୟତ, ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ, ସ୍ଥାନୀୟ ଗଣାମଧ୍ୟମ ପ୍ରତିନିଧି ଏବଂ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ପ୍ରବେଶ ଅନୁମତି ରହିବ । ଉପ ଜିଲ୍ଲାପାଳ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶନାମାର କଡାକଡି ପାଳନ ନିମନ୍ତେ ସଂପୃକ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।