ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନ ପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ 

ଭୁବନେଶ୍ୱର, ୪/୧: ରାଜ୍ୟରେ ଏବେ ୩ ରୁ ୪ ଦିନ ହେବ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ କୋଭିଡ଼ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ପଚାରି ବୁଝିଥିଲେ। ଏହାପରେ କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ସମସ୍ତ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁ ବ୍ୟବସ୍ଥା ହୋଇଥିଲା, ସେହି ପରିମାଣର ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ହୋଇଛି। ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନ ପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେଇଛନ୍ତି।। ଅନ୍ୟପଟେ ସତର୍କ ରହିବା ସହିତ କୋଭିଡ ନିୟମର ଦୃଢ ଅନୁପାଳନ ପାଇଁ ଜନସାଧାରଣଙ୍କୁ ପୁଣି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

ସାରା ଦେଶରେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି । ଦେଶରେ ଖୁବ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ଓଡିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି। ତେଣୁ ସତର୍କ ରହିବା ଆବଶ୍ୟକ ବୋଲି ମୁୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଯୋଗ ଦେଇଥିଲେ ।