ବଦଳିଲା ମାଟ୍ରିକ୍‌ ଓ ନବମ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର,୨୪/୦୫: ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ବଦଳିଲା ମାଟ୍ରିକ୍‌ ପରୀକ୍ଷା ଢାଞ୍ଚା। କରୋନା ପାଇଁ ଗତ ଦୁଇ ବର୍ଷ ଧରି ନବମ ଓ ଦଶମରେ ହେଉଥିବା ସମ୍ମେଟିଭ୍‌ ପରୀକ୍ଷା ଆଉ ହେବନାହିଁ। କିନ୍ତୁ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ଓ ହାପ୍‌ ଇଅରଲି ପରୀକ୍ଷା ହେବ। ଏଥିସହ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା। ସେ କହିଛନ୍ତି ଯେ ନବମ ଶ୍ରେଣୀରେ ହେଉଥିବା ଦୁଇଟି ସମ୍ମେଟିଭ୍‌ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି। ନବମ ଶ୍ରେଣୀରେ ଆଉ ସମ୍ମେଟିଭ୍‌ ପରୀକ୍ଷା ହେବନାହିଁ। କେବଳ ବାର୍ଷିକ ପରୀକ୍ଷା ହେବ। ସେଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ। ବୋର୍ଡ ପ୍ରଶ୍ନପତ୍ର ସବୁ ଡିଇଓଙ୍କୁ ପଠାଇବ। ତା’ପରେ ସେଠାରୁ ସ୍କୁଲକୁ ପ୍ରଶ୍ନପତ୍ର ଯିବ। ସ୍କୁଲ ପରୀକ୍ଷା କରିଚାଳନା କରିବ ଓ ଖାତା ମୂଲ୍ୟାୟନ କରି ପରୀକ୍ଷାଫଳ ପ୍ରକାଶ କରିବ ବୋଲି ବୋର୍ଡ ସଭାପତି କହିଛନ୍ତି। ଚଳିତବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟ ପରୀକ୍ଷା ପାଇଁ ଫର୍ମ ଫିଲପ୍‌ ମେ’ ୨୬ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ ବୋଲି ବୋର୍ଡ ସଭାପତି କହିଛନ୍ତି।