୭୫ ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା ଜାରି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬/୦୫: ନୂଆ ସଂସଦ ଭବନ ଉଦଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା ଜାରି କରିବେ । ଏନେଇ ଆଜି ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି। ଗତକାଲି ଜାରି କରାଯାଇଥିବା ‘ଗେଜେଟ୍‌’ ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି ଯେ, ‘କଏନେଜ୍‌ ରୁଲ୍ସ ୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ। ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ସମିଶ୍ରଣରେ ଏହି ୭୫ ଟଙ୍କିଆ ମୁଦ୍ରା ନିର୍ମାଣ କରାଯିବ। ୪୪ ମିଲିମିଟର୍‌ ଗୋଲେଇ ବିଶିଷ୍ଟ ଏହି ଧାତବ ମୁଦ୍ରାରେ ୨୦୦ଟି ଦାନ୍ତି ରହିବ । ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ। ସେହିପରି ତା’ ତଳକୁ ଦେବନାଗରୀ ଲିପିରେ ଲିଖିତ ରହିବ ସତ୍ୟମେବ ଜୟତେ। ସେହିପରି ମୁଦ୍ରାର ବାମ ପଟକୁ ରହିବ ଦେବନାଗରୀ ଲିପିରେ ଲିଖିତ ଶବ୍ଦ ‘ଭାରତ’ ଏବଂ ଡାହାଣ ପାର୍ଶ୍ବକୁ ରହିବ ଇଂରାଜୀ ଲିପିରେ ଲିଖିତ ଶବ୍ଦ ‘ଇଣ୍ଡିଆ’। ପୁଣି, ଜାତୀୟ ସଙ୍କେତ ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ (“₹”) ଏବଂ ଇଂରାଜୀ ସଂଖ୍ୟାରେ ଉଲ୍ଲେଖ ଥିବ ୭୫। ଏହାବ୍ୟତୀତ ମୁଦ୍ରାର ପଛ ପାଶ୍ୱର୍ରେ ଖୋଦିତ ହେବ ସଂସଦ ପରିସରର ଚିତ୍ର। ଏହାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଉଲ୍ଲେଖ ରହିବ ସଂସଦ ଭବନ। ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ଉଲ୍ଲେଖ ରହିବ ‘ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ’। ସେହିପରି, ପାର୍ଲାମେଣ୍ଟ୍‌ ଚିତ୍ର ତଳେ ବର୍ଷ ୨୦୨୩ ଉଲ୍ଲେଖ ରହିବ।