ରାସାୟନିକ କାରଖାନାରେ ବିସ୍ଫୋରଣ, ୬ଜଣ ଶ୍ରମିକଙ୍କ ମୃତ୍ୟୁ

ଗୁଜୁରାଟ,୧୧/୪: ଗୁଜରାଟର ଭରୂଚ ଜିଲ୍ଲା ଅନ୍ତର୍ଗତ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅହମଦାବାଦରୁ ୨୩୫ କିଲୋମିଟର୍‌ ଦୂରରେ ଥିବା ଦାହେଜ ଇଣ୍ଡଷ୍ଟ୍ରିଆଲ୍‌ ଏରିଆରେ ଅବସ୍ଥିତ ଉକ୍ତ କାରଖାନାରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଯୋଗୁଁ ରାସାୟନିକ କାରଖାନାରେ ନିଆଁ ଲାଗି ଯାଇଥିଲା। ସଲ୍‌ଭେଣ୍ଟ୍‌ ଡିଷ୍ଟିଲେସନ୍‌ ପ୍ରକ୍ରିୟା ଚାଲୁଥିବା ବେଳେ ଅକସ୍ମାତ୍‌ ବିସ୍ଫୋରଣ ଘଟିଥିବା ଗୋଟାଏ ‘ରିଆକ୍ଟର୍‌’ ନିକଟରେ ଉକ୍ତ ୬ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ‘ରିଆକ୍ଟର୍‌’ରେ ବିସ୍ଫୋରଣ ଘଟିବାରୁ କାରଖାନାରେ ନିଆଁ ଲାଗିଯାଇଥିଲା। ‘ରିଆକ୍ଟର୍‌’ ନିକଟରେ କାମ କରୁଥିବା ସମସ୍ତ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପରେ ସେମାନଙ୍କର ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। କାରଖାନାରେ ଲାଗି ଥିବା ନିଆଁ ମଧ୍ୟ ଲିଭାଇ ଦିଆଯାଇଛି। ଏଥିରେ ଆଉ କେହି ଆହତ ହୋଇ ନାହାନ୍ତି। ନିହତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି। ବିସ୍ଫୋରଣର ପ୍ରକୃତ କାରଣ ଜାଣିବାକୁ ଉଦ୍ୟମ ଚାଲିଛି। ଅବିଳମ୍ବେ ‘ଏଫ୍‌ଏସ୍‌ଏଲ୍‌’ ରିପୋର୍ଟ ପ୍ରସ୍ତୁତି କରାଯିବ ବୋଲି ସେ କହିଛନ୍ତି।