୩୯ଟି ସ୍କୁଲର ରୂପାନ୍ତରୀକରଣ କାମ ତଦାରଖ କଲେ ୫ଟି ସଚିବ

ଗଞ୍ଜାମ, ୧୬/୮: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କଲ୍ ଯୋଗେ ଶାସନ ଆମ୍ଵ ଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠ ର ଛାତ୍ରଛାତ୍ରୀ ମୀରା ସ୍ବାଇଁ ଓ ଦୀପକ ଦଳାଇଙ୍କ ସହ କଥା ହୋଇ ସ୍କୁଲ ରୂପାନ୍ତରୀକରଣ କାମ ସମ୍ପର୍କରେ ପିଲା ତଥା ଅଭିଭାବକ ମାନଙ୍କ ମତାମତ ଲୋଡିଥିଲେ । ସେମାନେ ସ୍କୁଲ ରୂପାନ୍ତରୀକରଣ ଦିଗରେ ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ ର ଉଚ୍ଚ ପ୍ରଶସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

ପ୍ରଥମେ ହିଞ୍ଜିଳି ଓ ଶେରଗଡରେ ଥିବା ୩୯ଟି ହାଇସ୍କୁଲରେ ୫-ଟି କାର୍ଯ୍ୟକ୍ରମ ଅଧିନରେ ଚାଲିଥିବା ରୂପାନ୍ତରୀକରଣ କାମ ପର୍ଯ୍ୟବେକ୍ଷଣ କରିଛନ୍ତି ୫ଟି ସଚିବ।  ସମୀକ୍ଷାରୁ ଜଣାଯାଇଛି ଯେ ହିଞ୍ଜିଳି ଓ ଶେରଗଡର ୩୯ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ କାମ ସଂପୂର୍ଣ୍ଣ ହୋଇଛି । ଅଗଷ୍ଟ ୨୧ ତାରିଖରୁ ଏହାକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ।

ଏହାପରେ ୫-ଟି ସଚିବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ କାମ ପର୍ଯ୍ୟବେକ୍ଷଣ କରିଥିଲେ। ଏହା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇ ସେ ଅଧିକାରୀମାନଙ୍କୁ ମନ୍ଦିର ବିକାଶ କାର୍ଯ୍ୟକୁ ନଭେମ୍ବର ୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।