ଗଜପତି ଗସ୍ତ କରି ନୂଆ ‘ଓ’ କାର୍ଯ୍ୟକ୍ରମରେ ସାମିଲ ହେଲେ, ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର,୨୩/୦୧:ଆଜି ଦିନିକିଆ ଗଜପତି ଗସ୍ତ କରିଛନ୍ତି 5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି।

ସେ‌ କହିଛନ୍ତି, ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ବ ବୃଦ୍ଧି କରିବାକୁ ଏହି ନୂଆ-ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି। କୌଣସି ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାରେ ସହାୟକ ହେବ।


ରାମଗିରି ଆୟୋଜିତ ସଭାରେ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌ ବିକାଶର ହିସାବ ଦେଇଛନ୍ତି। ସେ କହିଛନ୍ତି ଯେ, ୭ ମାସ ଭିତରେ ଗଜପତି ଜିଲ୍ଲାକୁ ପ୍ରାୟ ୧୨୦ କୋଟି ଟଙ୍କା ମିଳିଛି।  ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଗୁମ୍ମାରେ ମଡେଲ୍ ବସଷ୍ଟାଣ୍ଡ କାମ ସରିଛି। ପିଇବା ପାଣି ପ୍ରତି ଘରେ ପାଇପ୍ ଯୋଗେ ପହଞ୍ଚାଇବାକୁ କାମ ଆରମ୍ଭ ହେବ। ୭ମାସ ଭିତରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ୧୧୮ କୋଟି ୩୦ଲକ୍ଷ ମଂଜୁର କରାଯାଇଛି।