ଓମିକ୍ରନ ବ୍ୟାପିଥିବା ଦେଶରୁ ଓଡିଶା ଆସିଛନ୍ତି ୩୮୦ ଜଣ

ଭୁବନେଶ୍ୱର,୨/୧୨: ମହାମାରୀ କରୋନାରେ ପ୍ରାୟ ଦୁଇ ବର୍ଷ ପାଖାପାଖି ବିଶ୍ୱବାସୀ ଘାଣ୍ଟିଚକଟି ହେଲେଣି। ଏବେ ଦେଶରେ ଟିକେ ସଂକ୍ରମଣ ହାର କମିବା ପରେ ନୂଆ ଭାରିଆଣ୍ଟ ଓମିକ୍ରନ ସମସ୍ତଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ଏବେ ଚାରିଆଡେ ବ୍ୟାପୁଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିଶ୍ୱବାସୀଙ୍କ ନିଦ ହଜେଇ ଦେଇଛି । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଏହି ନୂଆ ଭୂତାଣୁ ଏବେ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଏହାରି ମଧ୍ୟରେ ଓମିକ୍ରନ ରିସ୍କ ଦେଶରୁ ଏଯାଏ ଓଡ଼ିଶା ଆସିଛନ୍ତି ୩୮୦ ଜଣ । ଏନେଇ ସୂଚନ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ନଭେମ୍ବର ୨୮ ସୁଦ୍ଧା ୨୨୪ ଓ ୨୯ରେ ୧୫୬ ଜଣ ଆସିଥିବା ଜଣାପଡିଛି । କିନ୍ତୁ ସମସ୍ତେ ଟେଷ୍ଟ କରି ଓଡ଼ିଶା ଫେରୁଛନ୍ତି ବୋଲି ସେ କହିଛନ୍ତି । ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ୭ ଦିନ ସଂଗରୋଧରେ ରଖାଯାଉ ଥିବା ସୂଚନା ରହିଛି । ଅନ୍ୟପଟେ ବିଦେଶ ଫେରନ୍ତାଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି।