ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍

ଭୁବନେଶ୍ୱର, ୨୧/୯: ରାଜ୍ୟରେ ପୁଣି ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲାଯାଇଛି । ଏବେ ୧୨ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମର ଜଳସ୍ତର ୬୨୯.୫୮ ଫୁଟ ରହିଛି । ଏବେ ୧ ଲକ୍ଷ ୮୬ ହଜାର ୨୭୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୧୬ ହଜାର ୭୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଅନ୍ୟପଟେ ଆସନ୍ତା ୨୫ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହା ଫଳରେ ରାଜ୍ୟରେ ଆସନ୍ତା ୨୬ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।