ଭୁବନେଶ୍ୱର,୦୬/୦୪: ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର । ପିଏମ ଜନମନ ଯୋଜନାରେ ସଡ଼କ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ରାଜ୍ୟରେ ୬୩ ଦଶମିକ ୨୭୧ କିଲୋମିଟର ରାସ୍ତା ନିର୍ମାଣ ହେବ । ଏଥିପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ ରାଜ୍ୟକୁ ଯୋଗାଇଦେବ । ପିଏମ୍ ଜନମନ ଯୋଜନାରେ ଅତି ପଛୁଆ ଜନଜାତି ଗୋଷ୍ଠୀ ବସତିକୁ ସବୁ ଦିନିଆ ରାସ୍ତା ନିର୍ମାଣ କରାଯାଉଛି । ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରର ଉନ୍ନତି ହୋଇପାରିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପିଏମ୍ ଜନମନ ଯୋଜନାରେ ୨୧୧ ଦଶମିକ ୪ କିଲୋମିଟର ଲମ୍ୱର ୬୬ଟି ସଡ଼କ ଓ ୪ଟି ସେତୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏ ବାବଦରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ୨୧୯ କୋଟି ୪୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ।