+2 ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ବର,୩୧/୦୫: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଜୁନ୍‌ ୮ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଚଳିତବର୍ଷ ୪ଟି ଯାକ ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। କଳା ବିଭାଗରେ ୨ଲକ୍ଷ ୩୨ ହଜାର ୬୪୪, ବିଜ୍ଞାନରେ ୯୩ହଜାର ୭୩୦, ବାଣିଜ୍ୟରେ ୨୪ହଜାର ୨୪୬ ଓ ଧନ୍ଦାମୂଳକ ବିଭାଗରେ ୫୮୨୯ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ପାଖାପାଖି ୫୫୦୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।