ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର,୨୭/୭: ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ପରିଷଦର କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ବିଜ୍ଞାନରେ ପାସହାର ୯୪.୧୨ ପ୍ରତିଶତ ଥିବାବେଳେ, ୩୯ ହଜାର ୫୮୭ ଜଣ ଛାତ୍ର ଓ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି । ବିଜ୍ଞାନ ବିଭାଗରେ ଚଳିତ ବର୍ଷ ୫୦ ହଜାର ୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୬୯୧୦ ଜଣ ପିଲା ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ତେବେ ନୟାଗଡ ଜିଲ୍ଲାରେ ସବୁଠୁ ଅଧିକ ପିଲା ପାସ୍ କରିଛନ୍ତି । ଫୁଲବାଣୀ ଜିଲ୍ଲାରେ ପାସହାର ସର୍ବନିମ୍ନ ରହିଛି । ରାଜ୍ୟର ୩୯୩ ସ୍କୁଲରେ ପାସହାର ଶତ ପ୍ରତିଶତ ରହିଛି ।

ସେହିପରି ବାଣିଜ୍ୟ ବିଭାଗରେ ୨୩ ହଜାର ୭୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୨୧ ହଜାର ୧୬୫ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଚଳିତବର୍ଷ ବାଣିଜ୍ୟ ବିଭାଗରେ ପାସ୍ ହାର ରହିଛି ୮୯.୨୦ ପ୍ରତିଶତ । ତନ୍ମଧରୁ ୧୩ ହଜାର ୨୧୧ ଜଣ ଛାତ୍ର ପାସ୍ କରିଥିବାବେଳେ, ୭୯୫୪ ଜଣ ଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟ ବିଭାଗରେ ମୋଟ ୧୦ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଜଣ ପିଲା ପାସ୍ କରିଛନ୍ତି । ତା ସହିତ ୫୨୪୨ ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ବାଣିଜ୍ୟ ବିଭାଗରେ ୧୩୪ ଟି ସ୍କୁଲରେ ପିଲା ଶତ ପ୍ରତିଶତ ପାସ୍ କରିଛନ୍ତି ।

ପିଲାମାନେ www.orissaresults.nic.in ୱେବସାଇଟ୍ ସାହାଯ୍ୟରେ ପରୀକ୍ଷା ଫଳ ଜାଣିପାରିବେ । ଏଥିସହ ସାମସ୍ କଲେଜ୍ ଇ-ସ୍ପେସରେ ମଧ୍ୟ ପରୀକ୍ଷାର୍ଥୀମାନେ ନିଜର ରେଜଲ୍ଟ ପାଇପାରିବେ । ତେବେ ଆଜି ପ୍ରଥମ ପର୍ଯ୍ୟାୟରେ କେବଳ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ରେଜଲ୍ଟ ପ୍ରକାଶ ପାଇଛି । କଳା ବିଭାଗ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ଅଗଷ୍ଟ ମାସ ୮ ତାରିଖରେ ପ୍ରକାଶ ପାଇବ ।