କରୋନା ସହ ଲଢେ଼ଇ କରି ନୂଆଜୀବନ ପାଇଲା ୧ ମାସର ଶିଶୁକନ୍ୟା

ଈଶ୍ୱରଙ୍କ ଚମତ୍କାରିତା: ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରିଜିତ ମହାପାତ୍ର

ଭୁବନେଶ୍ୱର, ୧୫/୫:  କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନେକ ଏହି ଯୁଦ୍ଧରେ ହାରି ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ଜଣେ ୧ ମାସର ଶିଶୁ କନ୍ୟା ଏହି ଲଢେ଼ଇରେ ଜିତିବା ସହ ନୂଆ ଜୀବନ ପାଇଛି । ଭୁବନେଶ୍ୱରର ଜଗନ୍ନାଥ ହସ୍ପିଟାଲରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ୧ ମାସର ଶିଶୁକନ୍ୟା ଗୁଡ଼ିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛି । କଳାହାଣ୍ଡି ଜିଲ୍ଲା ଏମ.ରାମପୁରର ଅଙ୍କିତ ଅଗ୍ରୱାଲ ଓ ପ୍ରୀତି ଅଗ୍ରୱାଲଙ୍କ ୧ ମାସର ଶିଶୁକନ୍ୟା ଗୁଡ଼ିଆ କରୋନାରେ ସଂକ୍ରମିତ ହେବାପରେ ତାକୁ ଭୁବନେଶ୍ୱର ଅଣାଯାଇଥିଲା । ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ନିଓନାଟୋଲୋଜିଷ୍ଟ ଡାକ୍ତର ଅରିଜିତ ମହାପାତ୍ର ଗୁଡ଼ିଆ ର ଚିକିତ୍ସା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଗୁଡ଼ିଆ ବହୁ ପରିମାଣର ସଂକ୍ରମଣ ହୋଇଥିବା ସହ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବା ଜଣାପଡିବା ପରେ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ । ଚିକିତ୍ସା ସମୟରେ ଶିଶୁଟିକୁ ରେମଡେସିଭିର ଦିଆଯିବା ସହ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ଅନ୍ୟ ଆଣ୍ଟିବାୟୋଟିକ ଦିଆଯାଇଥିଲା । ପ୍ରାୟ ୧୦ଦିନ ଶିଶୁଟି ଭେଣ୍ଟିଲେଟରରେ ରହିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲା । ଚିକିତ୍ସା କରୁଥିବା ଡାକ୍ତର ଅରିଜିତ ମହାପାତ୍ର ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହ ଈଶ୍ୱରଙ୍କ ଚମତ୍କାରିତା ବୋଲି କହିଥିଲେ । ସଂକ୍ରମିତ ଶିଶୁଙ୍କୁ ପ୍ରାରମ୍ଭିକ ପର୍ଯାୟରୁ ଉପଯୁକ୍ତ ଚିକିତ୍ସା କରାଗଲେ ସୁସ୍ଥ ହେବା ସମ୍ଭବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଶିଶୁଟିର ପରିବାର ଲୋକ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ ଗୁଡ଼ିଆ ଜନ୍ମ ହେବାର ଦୁଇ ସପ୍ତାହ ମଧ୍ୟରେ ଜ୍ୱର ଆରମ୍ଭ ହୋଇଥିଲା । କଳାହାଣ୍ଡିରେ ଗୁଡ଼ିଆର ପରିବାର ଲୋକ ଶିଶୁରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିଥିଲେ । ଡାକ୍ତର ଏହାକୁ ସାଧାରଣ ଜ୍ୱର କହି ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ ।ତେବେ ଜ୍ୱର ନକମିବାରୁ ଓ ଶ୍ୱାସକ୍ରିୟାରେ ଶିଶୁଟି ଅସୁବିଧା ଅନୁଭବ କରିବାରୁ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଗୁଡ଼ିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ବେଳେ ଭେଣ୍ଟିଲେଟର ରେ ୧ ମାସର ଶିଶୁ ୧୦ ଦିନ ରହି ସମ୍ପୂର୍ଣ୍ଣ ସୁସ୍ଥ ହେବା ଭଗବାନଙ୍କ ଚମତ୍କାରିତା କୁହାଯାଉଥିବା ବେଳେ , ଚିକିତ୍ସା କରିଥିବା ଡାକ୍ତର ଅରିଜିତ ମହାପାତ୍ରଙ୍କ ନିକଟକୁ ବିଶ୍ୱର କୋଣ ଅନୁକୋଣରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।