ଆସାମ ସରକାରଙ୍କ ଘୋଷଣା, ଆସନ୍ତା ଶିକ୍ଷାବର୍ଷରୁ ଦଶମ ବୋର୍ଡ ପରୀକ୍ଷା ବନ୍ଦ

ଭୁବନେଶ୍ୱର,୬/୬: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ବର୍ଷ ଶିକ୍ଷାବର୍ଷରୁ ଆସାମ ସରକାର ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି । ଅର୍ଥାତ ଏହି ଦଶମ ପରୀକ୍ଷା କେବଳ ସ୍କୁଲ ସ୍ତରରେ ଆୟୋଜିତ ହେବ । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ମୁତାବକ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହି ନିଷ୍ପତ୍ତି କେବଳ ଆସାମ ରାଜ୍ୟ ପାଇଁ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ଘୋଷଣା କରିଛନ୍ତି । ଆସନ୍ତା ଶିକ୍ଷାବର୍ଷ ଠାରୁ ଅନ୍ୟ କ୍ଲାସ ପରୀକ୍ଷା ଭଳି ୧୦ମଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରାଯିବ । ପରୀକ୍ଷା ନେଇ ସମସ୍ତ ପ୍ରକାର ଆୟୋଜନ ସ୍କୁଲ କିମ୍ବା ଶିକ୍ଷା ପରିଷଦ ଦ୍ୱାରା କରାଯିବ ।ଏବେ ଏହି ନିଷ୍ପତ୍ତି କେବଳ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନିଆଯାଇଛି । ହେଲେ ଯୁକ୍ତ୨ ବୋର୍ଡ ପରୀକ୍ଷା ପୂର୍ବ ଭଳି ଆୟୋଜନ କରାଯିବ ।