ମିର୍ଜାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୦ ମୃତ

ନୂଆଦିଲ୍ଲୀ,୪/୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ବାରାଣାସୀସ୍ଥିତ ହସ୍ପିଟାଲକୁ ପଠାଯାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଟ୍ରାକ୍ଟରରେ ସମୁଦାୟ ୧୩ ଜଣ ଥିଲେ। ସେମାନେ ଶ୍ରମିକ ଭାବେ କାମ କରୁଥିବା ବେଳେ ପାଖ ଗାଁରୁ କାମ ସାରି ଘରକୁ ଫେରୁଥିଲେ। ମାତ୍ର ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ଟ୍ରାକ୍ଟରକୁ ଖୁବ୍‌ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୩ ଗୁରୁତର ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧ କରିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ବରିଷ୍ଠ ଅଧିକାରୀ ଓ ପୁଲିସ୍‌ ଫୋର୍ସ ପହଞ୍ଚି ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *